ତୃପ୍ତି ରଞ୍ଜନ ଦାସTrupti Ranjan Das

Ghazal

ତୋରି ଗଳିରେ

Tori Galire

ତୋରି ଗଳିରେ (Tori Galire) by Dr. Trupti Ranjan Das

Ghazal

By Dr. Trupti Ranjan Das

ମୋ ପ୍ରତୀକ୍ଷାର ଶେଷସୀମା, ସରିଛି ତୋରି ଗଳିରେ
ମୋ ବିରହର ମିଠାବୋମା, ଫୁଟିଛି ତୋରି ଗଳିରେ

ତୋ ସହରୁ ମୋହକାଟି ଫେରି ଆସିଲି ଯେଉଁଦିନ
ତୋ ଆଖିପରି ମୋ'ଆଖିବି, ଭିଜିଛି ତୋରି ଗଳିରେ

ତୋ ଆଖିରୁ ଗଲିସିନା, ହେଲେ ଯାଇନି ମନରୁ
ମୋ ଦେହର ଛାଇଟିଏ, ଲାଖିଛି ତୋରି ଗଳିରେ

ତୋ ଛାତରେ ଥାଇକିବି ନକ୍ଷତ୍ରଙ୍କ ଏଲିଡି ଆଲୁଅ
ମୋ ହୃଦୟଟା ରହିରହି ଜଳୁଛି ତୋରି ଗଳିରେ

ଝଡକଣ ଛାଡ଼ିଗଲା ରାତିର ଅସୀମ ଶୂନ୍ୟତା ?
ଏବେ ମରଣର ନୀରବତା, ବହୁଛି ତୋରି ଗଳିରେ

ମାୟା, ସାରାରାତି କାନ୍ଦିଥିଲି ତୋ ବାହୁକୁ ଆଉଜି
ସେଦିନ ପଥରଟେ ଧୀରେକି ଭାଙ୍ଗିଛି ତୋରି ଗଳିରେ

ସିକନ୍ଦର ପରିଯିଏ ବାଜି ଜିତିଥିଲା ଜୀବନରେ
ଗୋଟେ ଝିଅର ପ୍ରେମପାଇଁ, ମରୁଛି ତୋରି ଗଳିରେ

ତୋ ପଣତରେ ମୋର କ'ଣ ଟିକେ ଭାଗ ନାହିଁ ? (ମାୟା)
ମଲା ଆଶାକୁ କାହିଁକି ବାନ୍ଧିଛି ତୋରି ଗଳିରେ ?

ତୁ ପାଦରେ ଛୁଇଁଦେଲେ ମୁଁ ପବନରେ ମିଶେ
ବର୍ଷ ବର୍ଷର ଦିହୁଡିଟେ ଲିଭିଛି ତୋରି ଗଳିରେ ?

ମଲାଯାଏଁ ଜହ୍ନ ହେଇ ତୋ ଝରକାକୁ ଚାହିଁଥିବି
ମୋ ବୟସର କିଛି ସଞ୍ଜ ହଜିଛି ତୋରି ଗଳିରେ ?

ତୁ ଗଲା ଜନମର ଦୁଃଖବୋଲି ଟାଣିହୋଇ ଆସେ
ମୋ ପାପୁଲିର କିଛି ରେଖା ମିଶିଛି ତୋରି ଗଳିରେ ?

ମାଟିକୁ ଚାହିଁଲେ ମୋ ମୁହଁ ଦିଶେ ହଜାରେ ଖଣ୍ଡ
ବୋଧେ କିଏ ଆଇନାଟେ ଭାଙ୍ଗିଛି ତୋରି ଗଳିରେ ।

କଷ୍ଟଲାଗେ ଆର ଜନମରେ ମଣିଷ ହେବି କି ନାହିଁ
ଏବେ ମୋ ଇଚ୍ଛାକୁ ବରକରି ଆଣିଛି ତୋରି ଗଳିରେ

କାହିଁକି ଈଶ୍ୱର ତତେ ଦେଲେ ନାହିଁ ମତେ
କାହିଁ ତୃପ୍ତି ପ୍ରେମବାଜି ହାରୁଛି ତୋରି ଗଳିରେ ?
© ତୃପ୍ତି ରଞ୍ଜନ ଦାସ

More read by Dr. Trupti Ranjan Das