
ମୁଁ ଆଉ ଅବନୀ ମଉସା ଗୋଟିଏ ବିଶ୍ୱବିଦ୍ୟାଳୟରେ କାମକରୁ । ସେଦିନ ସକାଳୁ ବି.ଟେକ୍ ପିଲାଙ୍କ ପ୍ରାକ୍ଟିକାଲ କ୍ଲାସ ଥାଏ । ମୁଁ ଯେଉଁ ବିଜ୍ଞାନଗାରରେ ନିରୀକ୍ଷକ ସେଇଠି ଅବନୀ ମଉସା କେଆର୍ ଟେକର । ସେଦିନ ବିଜ୍ଞାନ ଗାରରେ ମୋ ପାଖ ଚଉକିରେ ସେ ବସିଥିଲେ । ମୁଁ ପ୍ରାକ୍ଟିକାଲ ଖାତା ସଂଶୋଧନ କରୁଥିବା ବେଳେ, ସମୟ ଦେଖିବା ପାଇଁ ମୋ ଘଡିକୁ ଦେଖିଲି । ମୋ ଘଡି ବେସି ଦାମୀ ନହେଲେବି, ଫାଷ୍ଟ ଟ୍ରାକର, ପାଖାପାଖି ଚାରି ହଜାର ଟଙ୍କା । ଠିକ୍ ସେତିକି ବେଳେ ମୋ ନଜର ଯାଇ ପଡିଲା ଅବନୀ ମଉସାଙ୍କ ହାତ ଉପରେ । କଳା ଫିତାର ଘଡି ଟିଏ । ମୁଁ ତାଙ୍କ ଘଡିକୁ ଏକାଲୟରେ ଦେଖୁଥିବାର ଦେଖି ଅବନୀ ମଉସା କହିଲେ-ସାତ ବର୍ଷ ହେଇଗଲାଣି, ଚଉଦ ଥର ଜମା ବେଟିରି ବଦଳେଇଛି । ସେମିତି ଘୋଡା ଭଳିଆ ଦୌଡୁଛି । ବାଟରେ ଗଲାବେଳେ ବ୍ୟାଙ୍କ ଛକ ପାଖରେ ଯୋଉ ହାଟଟା ପଡେ,ସେଇଠି ଗୋଟେ ଘଣ୍ଟା ବେପାରି ବସିଥିଲା । ଆଉ ଏବେ ସିଏ ଆସୁନାହିଁ । କହିଲା ଶହେ କୋଡିଏ ଟଙ୍କା ! ଅଧ ଘଣ୍ଟାଏ ଧଡ଼ ଚକଟ ପରେ ନବେ ଟଙ୍କାରେ ରାଜି ହେଲା । ଭଗବାନଙ୍କ ଦୟାରୁ ଏଯାଏଁ ଖରାପ ହେଇନି, ଖାଲି ଯାହା ଫିତା ତିନିଥର ବଦଳେଇଛି ।
ମଉସାଙ୍କ କଥା ଶୁଣି ମୁଁ ଆଉଗୋଟିଏ କଥା ଭାବୁଥିଲି । ନବେ ଟଙ୍କିଆ ଘଡି ପିନ୍ଧି ମଉସା ପ୍ରାକ୍ଟିକାଲ କ୍ଲାସକୁ ସମୟ ଠାରୁ ଦୁଇ ମିନିଟ ଆଗରୁ ଆସୁଥିବା ବେଳେ, ମୁଁ ଦାମୀ ଘଡି ପିନ୍ଧି ପନ୍ଦର ମିନିଟ ପରେ ଆସୁଥିଲି । ନିରୀକ୍ଷକ ବୋଲି ମତେ କେହି କିଛି କହିବାକୁ ସାହସ କରୁନଥିଲେ ।
ସମୟର ମୂଲ୍ୟ ଘଡିରେ ନଥାଏ,ସମାୟାନୁବର୍ତିତାରେ ଥାଏ। ହାତରେ ଘଡି, ସାରା ଜୀବନ ବାନ୍ଧୁଥିବା ଲୋକ ଅସଂଖ୍ୟ କିନ୍ତୁ ହାତରେ ସଠିକ ସମୟର ସ୍ମୃତିକୁ ସାଇତି ରଖୁଥିବା ଲୋକଙ୍କ ସଂଖ୍ୟା ହାତ ଗଣତି ।
© ତୃପ୍ତି ରଞ୍ଜନ ଦାସ
