ତୃପ୍ତି ରଞ୍ଜନ ଦାସTrupti Ranjan Das

Poetry

ଫ୍ଲାଟ୍

ଫ୍ଲାଟ୍

ଫ୍ଲାଟ୍ (ଫ୍ଲାଟ୍) by Dr. Trupti Ranjan Das

Poetry

By Dr. Trupti Ranjan Das

ତଳେ ମାଟି, ଉପରେ ଆକାଶକୁ ହରେଇ
ଝୁଲୁଛି ଏ ଫ୍ଲାଟ୍
ଯେଉଁଠି ଜୀବନ ବର୍ଗର ଭଳି
ଚାପି ହୋଇ ରହିଛି।

ସବୁଦିନ ବାଲକୁନିରେ
ଫୁଲର ଓହଳି ପଡିଥିବା ମୁହଁକୁ ଦେଖି
ପବନରେ ମୁଁ ଖୋଜୁଛି କେଉଁ ପ୍ରଜାପତିକୁ ..
ତା ଶୁଖି ଆସୁଥିବା ବୟସର ସରସୀରେ
ପଙ୍କ ଯୁଡୁବୁଡୁ ହେଇ ଦୋଷୀ ପରି
ଦେଖୁଚି ନିଜକୁ

ଅନେକ ଭଳିକି ଭଳି ଆଲୁଅ ଜଳେଇ
ବୈଠକ ଘରେ ଯେତେ ଖରା ଆଙ୍କିଲେ ବି
ହାତରେ ଦିନଟେ ଫୁଟେଇ ପାରୁନି...
କବାଟ ଖୋଲିଲେ ସାମ୍ନା ଘର ଚପଲ ଷ୍ଟାଣ୍ଡ,
କୁକୁରର ବିନା କାରଣରେ ଭୁକିବା ଶବ୍ଦ
ଏଇ ଫ୍ଲାଟ୍ ସହ କେତେବେଳେ କିଣିଛି
ମୁଁ ଜାଣିନି !

ଆମ ଗାଁରେ ଗୋଟେ ପୁରୁଣା ଡିହ,
ଏବେ ବି ଆକାଶ ଘୋଡ଼ି ହେଇ
ମାଟିକୁ ଆବୋରି ପଡ଼ିଛି।
ଅଣ୍ଟା ଭିଡ଼ି ଦେଵୀ ନଈ ସୁଅକୁ ବଙ୍କା କରିଥିବା
ଡେଙ୍ଗା ଦାଣ୍ଡ ପିଣ୍ଡାଟି ଆଣ୍ଠେଇ ପଡ଼ିଛି ।

ତା ଛାତିରେ ଫୁଟିଛି କଖାରୁ ଫୁଲ
ତା ଆଖିରୁ ଲୁହପରି ବହି ଯାଇଛି
ଧାରୁଆ ରାସ୍ତାଟେ ଗାଁ ଦାଣ୍ଡକୁ
ପୁଣି ମାଡ଼ି ଆସିଚି ଏଇ ସହର ଆଡକୁ..

ତା ଭଙ୍ଗା କାନ୍ଥରେ ଗୋଟିଏ ଅକ୍ଷତ ଠଣା
ଦିପ ଧୂଆଁରେ ଜଳି ଜଳି
କଳା ପଡ଼ି ଯାଇଥିବା ତା ଛାତ,
ତା ଅଗଣାର ଜହ୍ନ ରାତିକୁ ବିକିଦେଇ
ମୁଁ କିଣିଛି ଏଇ ଫ୍ଲାଟ୍ ।

ଝରକା ସେପଟେ ଥିବା ଆମ୍ବ ବାଡି
ବାଡି ଶେଷକୁ ଗାଡିଆ
ଗାଡିଆ ଚାରିକଡ ନଡ଼ିଆ ଗଛ
ଗଛକୁ ଲାଗି ଲମ୍ବିଥିବା ଯେତେ ଶସ୍ୟ କ୍ଷେତ
ଏ. ଆଇ ଭିଡିଓଟେ ହେଇ ମୋ ଆଖି ଆଗରେ ଚାଲୁଛି

ମଣିଷ ଜୀବନ ଜଞ୍ଜାଳରେ ଚାପି
ହୋଇ କେତେବେଳଉଁ
ଫ୍ଲାଟ୍ ହେଇ ସାରିଲାଣି !

ଏ ବିଲଡର ମାନେ ଠିକ୍ ଜାଣନ୍ତି,
ଦେହ ସହ ମନକୁ କେମିତି ଖଞ୍ଜିହେବ
କେତିକି ଜାଗାରେ, କେତେ ସହଜରେ
ଆଉ କେଉଁ ଫ୍ଲାଟ୍ ରେ !

© ତୃପ୍ତି ରଞ୍ଜନ ଦାସ

More read by Dr. Trupti Ranjan Das