ତୃପ୍ତି ରଞ୍ଜନ ଦାସTrupti Ranjan Das

Story

ସ୍ନେହା ବାନାର୍ଜୀ

Sneha Banerjee

ସ୍ନେହା ବାନାର୍ଜୀ (Sneha Banerjee) by Dr. Trupti Ranjan Das

Story

By Dr. Trupti Ranjan Das

ବଡ଼ ଆଶ୍ଚର୍ଯ୍ୟ ଥିଲା ତମ ମାଆଙ୍କର ଯୁକ୍ତି,-ସିଏ ଗୋଟେ ଲେଖକ । ଟିକିଏ ଦୂରେଇ ଥିବୁ । ସବୁ ଲେଖକ ଜାତି ଆଖିରେ କମ୍ ଛାତିରେ ଅଧିକା ଦେଖନ୍ତି ।
ଆଉ ଆଶ୍ଚର୍ଯ୍ୟ ଲାଗିଲା ସେଦିନ ଯେବେ ତମେ, ତମ ମାଆଙ୍କ କଥାକୁ ମାନି ମୋ ସମ୍ମୁଖକୁ ପ୍ରଥମ ଥର ପାଇଁ ଚୁନରି ପକାଇ ଆସିଥିଲ । ଅବଶ୍ୟ ଭଲ ଦିଶୁଥିଲ । ସାହସ କରି ସେଦିନ ତମ ହାତକୁ ଛୁଇଁ ପରିନଥିଲି । ତମେ କିନ୍ତୁ ମୋ ନୀରବତା ଦେଖି ଚୁନରି ଖସାଇ ଥିଲ କିଛି ସମୟ ପରେ ।
ଆଇ.ଆଇ.ଟି ଧନବାଦରେ ପଢିବା ବେଳର ବେଙ୍ଗଲି ଝିଅ ସ୍ନେହା ବାନାର୍ଜୀ, ଆଉ ଆଜିର ସ୍ନେହା ବାନାର୍ଜୀ ଭିତରେ ଆକାଶ ପାତାଳ ଫରକ ଦେଖିଥିଲି । ଏତେଦିନ ପରେ ଭିଡରେ ଦେଖା ହେଇଗଲା, ସେ ପୁଣି କୋଣାର୍କ ମନ୍ଦିର ଟିକେଟ୍ କାଉଣ୍ଟରରେ । ଯେଉଁଠିକୁ ଆଗରୁ ଆମେ ଅନେକ ଥର ଆସିଛୁ । ରାତିକୁ ଦିନ କରି ଟ୍ରେନର ସେଇ ଅନ୍ଧାରୁଆ ବଗିରେ ସାରା ରାତି ଗପିଚୁ । ହାଉଡା-ପୁରୀ ଏକ୍ସପ୍ରେସ ପୁରୀ ଛୁଇଁବା ଯାଏଁ ସେ ମୋ କାନ୍ଧରେ ମୁଣ୍ଡରଖି ସେମିତି ଚେଇଁ ଶୋଇଥାଏ । ତାପରେ ଆମେ ପୁରୀରେ ଜଗନ୍ନାଥ ଦର୍ଶନ କରି ସିଧା କୋଣାର୍କ ଚାଲିଆସୁ । ସେ ଚନ୍ଦ୍ରଭାଗା ପାଖରେ ଅଟକି ଯାଏ । ମତେ ଧରମାର ମୃତ୍ୟୁର କାରଣ ବାରମ୍ବାର ପଚାରେ । ମୁଁ ବେଙ୍ଗଲି ପୁରା ବୁଝିପାରେ, ତାଠାରୁ ଶିଖି ମଧ୍ୟ କିଛି କହିପାରେ । ସେ ଓଡ଼ିଆ କହିବା ପାଇଁ ମତେ କୁହେ- ଏଇ... ତୁମେ ଚୁପ୍ ରହିବ , ରିକ୍ସା ଵାଲା, ହୋଟେଲ ରିସେପସନିଷ୍ଟ, ଟିକେଟ୍ କାଉଣ୍ଟର ସବୁଠି ମୁଁ କଥାବାର୍ତ୍ତା କରିବି । ହେଲା !
ମୁଁ ଚୁପ୍ ରୁହେ । ସିଏ ଖଣ୍ଡି ଓଡ଼ିଆ କହେ ଆଉ ତାକୁ ସମସ୍ତେ ଦୁଇଗୁଣା ଭଡା କୁହନ୍ତି । ସେ ମତେ ଚାହେଁ । ମୁଁ ଜୋରରେ ହସିଉଠେ । ଅନେକ ଥର ସିଏ ମତେ କହିଛି ତାକୁ ଆମ ଘରକୁ ଆଣିବାପାଇଁ । କିନ୍ତୁ ମୋ ଭିତରେ ସେତିକି ସାହସ ନଥିଲା ଝିଅ ସାଙ୍ଗକୁ ଧନବାଦରୁ, ସିଧା ଓଡ଼ିଶାର ଗୋଟିଏ ଗାଁରେ ଥିବା ଘରକୁ ଆଣି ଘର ଲୋକଙ୍କ ସହିତ ଭେଟ କରାଇବା ପାଇଁ ।
କୋଣାର୍କ ମନ୍ଦିର ଦେଖିବାକୁ ଆମେ ଅନେକ ଥର ଲୁଚିକି ଆସିଛୁ କାହାକୁ ନଜଣାଇ । ଟିକେଟ୍ କରି ସାରିବା ପରେ ସେ ଦୁଇ ହାତ ଖୋଲି କୋଣାର୍କ ମନ୍ଦିର ଚୂଳକୁ ଚାହେଁ ଆଉ ପଚାରେ- ଧର୍ମପଦ ଯେଉଁ ମୁଣ୍ଡି ମାରିଥିଲା ସେ ପଥର କୁଆଡେ ଗଲା?
ମୁଁ କୁହେ-କେଜାଣି? ମୁଁ ଜାଣିନି ।
ସେ ପୁଣି ପଚାରେ- ଆଛା ବିଶୁ ମହାରଣାର ଘର ଲୋକ କିଏ ଅଛନ୍ତି?
-କେଜାଣି ମୁଁ କହି ପାରିବିନି ।
ରତିମଗ୍ନ ମୂର୍ତ୍ତିକୁ ନିରେଖି ଦେଖୁଥିବା ବେଳେ ମୁଁ ତାକୁ ଚାହେଁ କାଳେ କିଛି ପଚାରିବ ବୋଲି । ହେଲେ ସେ ବିଷୟରେ କିଛିବି ପଚାରେ ନାହିଁ । କିନ୍ତୁ ସେଦିନ କ୍ୟାମ୍ପସରେ ଏକ ନିରୋଳା ସଞ୍ଜରେ ମତେ ପଚାରିଥିଲା- ଏଇ ସେ ମୂର୍ତ୍ତି ମାନେ ସେମିତି କାହିଁକି ଥିଲେ?
ମୁଁ କହିଥିଲି-କେଜାଣି...ଚାଳନା ଆମେ ସେ ମୂର୍ତ୍ତି ପରି ହେଇଜିବା !
ଆଜି ଏତେଦିନ ପରେ ସ୍ନେହା କୁ ଦେଖି ମୁଁ ତା ପାଖକୁ ଦଉଡି ଗଲି । ସେ ଆଗଭଳି ଦୁଇ ହାତ ଖୋଲି କୋଣାର୍କର ସୌନ୍ଦର୍ଯ୍ୟତାରେ ବିଭୋର ହେଇ ପାରୁନଥିଲା । ଚକଲଗା ଚୌକିରୁ ଉଠିବାଟା ତା ପକ୍ଷରେ କଷ୍ଟଥିଲା । ପାଖରେ ତାର ସ୍ୱାମୀ ଛିଡା ହୋଇଥିଲେ । ମୁଁ କିଛି ବୁଝି ପାରୁନଥିଲି । ମୋ ଆଶ୍ଚର୍ଯ୍ୟ ମୁହଁ ଦେଖି ତା ସ୍ୱାମୀ କହିଲେ-ସ୍ନେହାକୁ ବୋନ୍ କ୍ୟାନ୍ସର । ତାର ଇଚ୍ଛା ଥିଲା କୋଣାର୍କ ମନ୍ଦିର ଆସିବା ପାଇଁ । ମୁଁ ତାକୁ ୟୁ.ଏସ୍.ଏରୁ ସିଧା କୋଣାର୍କ ନେଇକି ଆସିଛି । ମୁଁ ଚକଲଗା ଚୌକିକୁ ଚାହିଁଲି । ସ୍ନେହା ଚୌକିରେ ବସି କୋଣାର୍କ ଚୂଳକୁ ଚାହିଁଥିଲା, ଆଖିରେ ଦୁଇ ଧାର ଲୁହକୁ ଧରି ।

©ତୃପ୍ତି ରଞ୍ଜନ ଦାସ
(ମାୟା ସବୁଜ, ଗଳ୍ପ ସଙ୍କଳନ)

More read by Dr. Trupti Ranjan Das