
ସବୁ ଆପେକ୍ଷିକ !
ସ୍ଥାନ ଆଉ ସମୟ ଚାଲନ୍ତି ଏକା ସହ
ଆଇନଷ୍ଟାଇନ କହିଲା ପରା...
ସେମିତି ଆମ ସମ୍ପର୍କ ବି ଲୀଳାବତୀ !
ତା ନାହେଇଥିଲେ
ତୋ ଜିଭ କାଟୁଥିବା ଲୋକ
ମତେ କଥାକୁହା ଶିଖାନ୍ତେ ନାହିଁ
ମୋ ପଟଳକୁ ଘେସେରା କରୁଥିବା ଲୋକ
ତୋ ଆଖିରୁ କାଳ କାଳର ଦର୍ପଣକୁ
ଦେଖନ୍ତେ ନାହିଁ
ଏଇଠି କେହି କାହର
ମିତ୍ର କି ବଇରୀ ନୁହେଁ
ପଶୁ କଣ ଜାଣେ
କାଗଜ ଟା ପଇସା ବୋଲି !
ନା ମଣିଷ କଣ ଜାଣେ
ଅନା ବନା ଘାସ କାହା ଆଧାର ବୋଲି !
ଲୀଳାବତୀ ବିଚିତ୍ର ଲାଗୁଚି ନା !
ବେଳେ ବେଳେ ମୁଁ
ବାଦଲ ପିଠିକୁ ଉଠିଯାଏ
ବେଳେ ବେଳେ ମୁଁ ଜହ୍ନରେ ବସି
ତୋ ଘୁରିବାକୁ ଦେଖେ
ଦେଖେ ଛାଇ ଆଲୁଅର ଖେଳ
ଦେଖେ କେତେ ନୀରବ, ଶାନ୍ତ ଏ ବ୍ରହ୍ମାଣ୍ଡ
ଥାଇବି ଅସଂଖ୍ୟ କୋଳାହଳ
ତୁ ଯାହା ପାଇଁ କାନ୍ଦୁ
ସେ ଆଉକହା ପାଇଁ କାନ୍ଦେ
ତୁ ଯାହା ଆଖିରେ ବୁଡମାରୁ
ସେ କାହାକୁ ଲୁହରେ ବୁଡ଼େଇ ଆସିଥାଏ ।
ଲୀଳାବତୀ ଦ୍ବନ୍ଦରେ ପଡିଲୁ ନାଁ ?
ସମ୍ପର୍କ ହିଁ ଏମିତି ଆପେକ୍ଷିକ
ଏ ସୃଷ୍ଟି ଓ ଏ ପ୍ରକୃତିର ଗତିଶୀଳ
କାନଭାସ ଉପରେ ।
ସମ୍ପର୍କ ତ ଅଦୃଶ୍ୟ ଫାଶଟେ
ଏଥିରେ ଜଣେ ନୁହଁ,
ତୋ, ମୋ ପରି ଅସଂଖ୍ୟ ବାନ୍ଧି ହୋଇଛନ୍ତି
ଅଜାଣତରେ !
ମିଛ ପରି ଲାଗୁଥିବା ସତରେ !
© ତୃପ୍ତି ରଞ୍ଜନ ଦାସ
