
ତୋରି କଥାକୁ ଦୁନିଆଁ ବୁଝିଲା ବୁଝିଲେନି କେହି ମତେ
ତୋରି ହାତକୁ ଦୁନିଆ ଚୁମିଲା ଛୁଇଁଲେନି କେହି ମତେ
ବିରହର ତୀରେ ଲୁହରେ ଲୁହରେ ଗାଇଥିଲେ ଦୁହେଁ ଗୀତ
ତୋରି ଗୀତକୁ ସଂସାର ଶୁଣିଲା ଶୁଣିଲେନି କେହି ମତେ
ସମ୍ପର୍କର ବୋଝ ମଥାରେ ବୋହିକି ଦୁହେଁ ପଡ଼ିଥିଲେ ଥକି
ତୋରି କଷ୍ଟକୁ ସଭିଏଁ ଦେଖିଲେ, ଦେଖିଲେନି କେହି ମତେ
ପାପର ଦୁଆରେ ପ୍ରେମ ଯାଚି ଆମେ କରିଥିଲେ ଦୁହେଁ ପୁଣ୍ୟ
ତୋରି ପୁଣ୍ୟକୁ ହଜାରେ ଗଣିଲଲେ, ଗଣିଲେନି କେହି ମତେ
ଦୁହେଁ ଡାକୁଥିଲେ ଆକୁଳରେ କେତେ ବାଟ ଭୁଲି ଜଙ୍ଗଲରେ
ତୋରି ଡାକକୁ ପବନ ଖୋଜିଲା ଖୋଜିଲେନି କେହି ମତେ
ଭଲପାଇ ଦୁହେଁ ସଅଳ ମରିଲେ ବେଳ ଆମ ଥାଉଥାଉ
ତୋରି ଦେହକୁ ମଶାଣି ଜାଳିଲା, ଜାଳିଲେନି କେହି ମତେ
ତୃପ୍ତି ତ ଜାଣିଛି ଦୁହେଁ ହାରିଥିଲେ ମନ ଦିଆନିଆ ବାଜି
ତୋରି ଦୁଃଖକୁ ସମୟ ଦେଖିଲା, ଦେଖିଲେନି କେହି ମତେ
© ତୃପ୍ତି ରଞ୍ଜନ ଦାସ
