
ସେଦିନ ଆମଘରେ ସମସ୍ତେ ଘେରି ବସିଥିଲେ ଅଞ୍ଜୁ ଅପାକୁ। ଭଳିକି ଭଳି ସୁସ୍ୱାଦୁକର ଖାଦ୍ୟ ବଢ଼ା ହୋଇଥିଲା । ଅଂଜୁ ଅପା ଅଳ୍ପଅଳ୍ପ ଖାଉଥାଏ। ତା'ର ବସିବା ଓ କଥା ହେବା ଶୈଳୀରେ ଏକ ମାର୍ଜିତ ପରିବର୍ତ୍ତନ ଅନୁଭବ ହେଉଥାଏ । ଅତି ଶ୍ରଦ୍ଧାରେ ଅଂଜୁ ଅପାକୁ ବୋଉ ଏବଂ ଖୁଡି ଖୁଆଇ ଦେଉଥାନ୍ତି। ଆଉ ଦିନ କେଇଟା ଗଲେ ତା'ର ବାହାଘର। ଗାଁ'ରେ ପ୍ରଥା ଟିଏ ଅଛି, କୁଆଁରୀ ଝିଅ ଟିଏ ବାହାହେଇ ଯିବା ପୂର୍ବରୁ ସାହି, ପଡିଶା ଓ ବନ୍ଧୁ ବାନ୍ଧବଙ୍କ ଘରକୁ ନିମନ୍ତ୍ରିତ ହୋଇ ଯାଏ, ଯାହାକୁ ଖାଆଣ ଖାଇଯିବା ବୋଲି କୁହନ୍ତି। ସେମିତି ସେଦିନ ଆମ ଘରକୁ ଅଂଜୁ ଅପା ଖାଆଣ ଖାଇ ଆସିଥିଲା । ଅଂଜୁ ଅପା ଆମ ଘର ପାଖ ବଡବାପାଙ୍କ ଝିଅ। ଦୁଇ ମାସ ତଳୁ ତା'ର ବାହାଘର କାକଟପୁର ଠାରେ ଲାଗିଥିଲା। ଏଇ ଆଠ ଦିନ ତଳେ ପୁଅ ଘର ବାଲା ଆସି ଅଂଜୁ ଅପାକୁ ମୁଦି ପିନ୍ଧେଇବା ସହ ବାହାଘର ତିଥି ନିର୍ଣ୍ଣୟ କରିଦେଇ ଯାଇଛନ୍ତି। ନିର୍ବନ୍ଧ ମୁଦି ଅଂଜୁ ଅପା ହାତରେ ଦାଉ ଦାଉ ହେଇ ଚମକୁ ଥିଲା । ଅଂଜୁ ଅପା ହାତରୁ ମୁଦିଟା ଆଣି, ଖୁଡି ଅନୁମାନ କରି କହିଲେ - "ଛଅ କି ସାତ ଗ୍ରାମ ହେବ। ପୁଅ ଘର ଥିଲା ବାଲାପରି ଲାଗୁଛନ୍ତି। ଆମ ଅଂଜୁଙ୍କର ଆଉ କୋଉଥିରେ କମି ରହିବ ନାହିଁ"। ଅଂଜୁ ଅପା ଅଳ୍ପ ଅଳ୍ପ ହସି, ମୁଣ୍ଡ ତଳକୁ କରି ଖୁଡିଙ୍କ କଥା ଗୁଡ଼ିକୁ ଆଦରି ନେଉଥିଲା। ହସର ସାମାନ୍ୟ ସଜ ରେଖା ଟିଏ, ତା'ଓଠରେ କହୁଥିଲା ସେ ଭିତରେ କେତେ ଖୁସି ଅଛି ବୋଲି । ଅଂଜୁ ଅପାକୁ ଖୁଆଇ ଦେବା ବେଳେ ବୋଉ ଆଖି ସାମାନ୍ୟ ଛଳ ଛଳ ହେଇ ଉଠିଲା । ଏହା ଦେଖି ଅଂଜୁ ଅପାବି କାନ୍ଦି ପକେଇଲା । ପାଖରେ ବସି ପାନ ଚୋବାଉ ଥିବା ଅବସ୍ଥାରେ ମୋ ଜେଜେମା କହିଲା - "ଇଲୋ ଟୋକି କାଇଁ କାନ୍ଦୁଛୁ? ବାହା ହେବୁନି ଯଦି ମନା କରି ଦେଉନୁ । ସଂସାର କରିବ ବୋଲି ସକ ସକ, ପୁଣି ଏଣେ କାନ୍ଦ । ଧଅସି ଖାଇଦେ ସବୁ, ଆଉ କାନ୍ଦେନି"। ଜେଜେମା କଥା ଶୁଣି ସମସ୍ତେ ଜୋରରେ ହସିବାକୁ ଲାଗିଲେ ।
ବାହାରେ ସାମାନ୍ୟ ଘଡଘଡିର ମୃଦୁ କମ୍ପନ ଶୁଭିଲା । ଝରକା ପଟେ ଦେଖିବାରୁ ଜଣା ପଡ଼ିଲା, ମେଘ ଧୂମାଳ ଆସିବାର ଏକ ପ୍ରାକ୍ ପ୍ରସ୍ତୁତି। ଝରକା ଦେଇ ଆସୁଥିବା ପବନରେ ପରଦା ଗୁଡ଼ିକ ଉଡିବାକୁ ଆରମ୍ଭ କଲେ । ବାହାରେ କାନ ଦେବା କ୍ଷଣି ଅନୁଭବ ହେଲା ବୁନ୍ଦା ବୁନ୍ଦା ବର୍ଷା ଟୋପାଙ୍କ ଜୀବନ ସଙ୍ଗୀତ। ଛତା ଟିଏ ଧରି ସାରିଆ ବଡବୋଉ ଆମ ଘରେ ଆସି ପହଞ୍ଚିଲା।- "ଆଲୋ ଅଂଜୁ ତୋର ସରିଲା । ମେଘ ପବନ ଆଇଲାଣିବା। ତୋର ଏଇଠୁ ସରିଲେ ସନା ଭାଇ ସହ ତାଙ୍କ ଘରକୁ ଯିବୁ ପରା। ସାଡେ ମାମୁଁ ମାଇଁ ସମସ୍ତେ ତୋତେ ଅପେକ୍ଷା କରିଛନ୍ତି"। ସାରିଆ ବଡବୋଉକୁ ଦେଖି ମୋ ଜେଜେମା କହିଲା-"ଇଲୋ ସାର ତୋ'ଝୁଅ କେତେ ବିରି ଚାଉଳ ଖାଇଛି କିଲୋ? ମେଘ କ'ଣ ଏମିତି ହେଲାଣି! ଦେଖିବୁ ବାହାଘର ଦିନ ବୁଡେଇବଲୋ । ବୁଢୀମା କଥା ନସରୁଣୁ ସାରିଆ ବଡବୋଉ ଆକୁଳରେ କଥା ଛଡେଇ ନେଇ କହିଲା -"ହେ ହେ ସାନମା ତମେ ଏମିତି କୁହନାହିଁ । ଏଇ ମେଘ ପାଇଁ ତା'ବାପାଙ୍କ କେତେ ଚିନ୍ତା। କେତେ ହପସପ। ଆଷାଢ଼ ମାସରେ ଭଲ ତିଥି ଅଛି ବୋଲି ପୁଅ ଘର ବାଲାଙ୍କ ଏକା ଜିଦି ଏଇ ମାସରେ ବାହାଘର କରିବେ । ଭଲ ପ୍ରସ୍ତାବଟିଏ ଆସିଛି ବୋଲି ଆମେ ତାଙ୍କ କଥାରେ ରାଜି ହେଲୁ। ଯଦି ମେଘ ହୁଏ, ସବୁ ଧୋଇଯିବ। ଏତେ ଲୋକଙ୍କ ପାଇଁ ଆୟୋଜନରେ ପାଣି ପଶିଯିବ । ବଡବୋଉ କଥା ଶୁଣି ଜେଜେମା କହିଲା -"ତୁ ଦୁଇଟା ନଡ଼ିଆ, ଦୁଇଟା ସାଲୁ କନାରେ ବାନ୍ଧି ଗୋଟିଏ ତାରେଣୀ ଆଉ ଗୋଟିଏ ଜଗନ୍ନାଥଙ୍କ ନାଁରେ ରଖେ। ବାହାଘର ଭଲରେ ଭଲରେ ସରିଲେ, ମନ୍ଦିର ଯାଇକି ଭୋଗ କରିକି ଆସିବୁ ।
ପାଞ୍ଚ ଦିନ ଗଲେ ବାହାଘର। ଅଂଜୁ ଅପା ଦିନକୁ ଦୁଇ ତିନି ଥର ଅବିନାଶ ଭାଇଙ୍କ ସହ ଫୋନ୍ ରେ କଥା ହେଉଛି । ମନ ଭିତରେ ଭାରି ଖୁସି ରହୁଛି। ଆଷାଢ଼ ଆକାଶକୁ ଚାହିଁ ସେ ନଇତି ତିଆରି କରୁଛି ସ୍ଵପ୍ନ ମାନଙ୍କ କୋଲାଜ୍। ଅଂଜୁ ଅପା ସଦ୍ୟ ଜନ୍ମିତ ମେଘରେ ଦେଖୁଛି ନୂଆ ସମ୍ଭାବନା, ନୂଆ ଆରମ୍ଭ, ନିଜ ପ୍ରେମକୁ ଅବିନାଶ ଭାଇଙ୍କ ପାଇଁ ବୁନ୍ଦା ବୁନ୍ଦା ନିଗାଡି ଦେଇ ଝିଅରୁ ସ୍ତ୍ରୀ ପାଲଟି ଯିବାର ସବୁ ପ୍ରୟାସ। ବାହାରେ ବର୍ଷା ଝରିଲେ, ସେ ଫୋନ୍ କରୁଛି ଅବିନାଶ ଭାଇଙ୍କୁ । ଝର୍କା ବାହାରେ ଝରି ପଡ଼ୁଥିବା କୃଷ୍ଣ ଚୁଡ଼ା ଫୁଲରେ ଆବିଷ୍କାର କରୁଛି ନିଜକୁ । ଏଇ ଥର ଶ୍ରାବଣ ଋତୁରେ ସାଥି ହୋଇ ଭିଜିବାର କଥା ପାଇବା ପରେ, ଅଂଜୁ ଅପା ହାତ ପାପୁଲିରେ ଗୋଟାଉଛି ବର୍ଷା ଟୋପାଙ୍କୁ । ତା ହ୍ୱାଟସ୍ଆପ ଷ୍ଟାଟସ୍ ରେ ରଖିଚି ଆମ ଗାଁ ଦୂର ଆକାଶର ମେଘଭର୍ତି ଛବିଟିଏ । ଯେଉଁଠି ଲମ୍ଭା ତାଳ ଗଛ ଚାହିଁଛନ୍ତି ଆକାଶକୁ ଦୁଇ ହାତ ଟେକି ଦେଇ । ସେଇ ହାତକୁ ଛୁଇଁବା ପାଇଁ ଯେମିତି ମେଘ ମାନେ ମାଟି ମୁହାଁ। ଗତ କିଛି ଦିନ ଧରି ଯେଉଁ ଗୁଳୁଗୁଳି ହେଇଥିଲା ତାହା ଭୀଷଣ ଅସହ୍ୟ ଥିଲା । ଅଂଜୁ ଅପାର ଡର ଥିଲା ଏତେ ଗରମରେ କେମିତି ବାହା ହେବ ସିଏ! ଓଜନିଆ ଲେହେଙ୍ଗାକୁ ପରସ୍ତ ପରସ୍ତ ମୁହଁ ସଜରେ ସେ ସିଝି ଉଠିବ। ପୁଣି ହୋମ ନିଆଁ ପାଖରେ ବସିବାର ଅଛି ତାକୁ । ପାଗ ପରିବର୍ତ୍ତନର ଆଭାସ ପାଇ ଭିତରେ ଟିକେ ଆଶ୍ୱସ୍ଥ ଅଛି ଅଂଜୁ ଅପା। ଏଣେ ବଡବୋଉ ସାଲୁ କନାରେ ନଡିଆ ବାନ୍ଧି ଦାଣ୍ଡ ପିଣ୍ଡାରେ ଟାଙ୍ଗି ଦେଇଛନ୍ତି। କୁଆଁରୀ ଝିଅ ଟିଏ ନିର୍ବନ୍ଧ ପରଠାରୁ ବାହା ହେଇ ଯିବା ଯାଏଁ ଉପରକୁ ନଜଣାଇଲେବି, ଭିତରେ ସେ ଆସୁଥିବା ପ୍ରଣୟ ପୁରୁଷଙ୍କୁ ପ୍ରତି ସେକେଣ୍ଡ ରେ ହିଁ ମନେ ପକାଉଥାଏ । ବର୍ଷା ହେଲେବି ଆଉ ନହେଲେ ବି ଅଂଜୁ ଅପା ଅବିନାଶ ଭାଇଙ୍କର ହେବ । ଛଅ ମାସ ତଳେ ଯେଉଁ ଲୋକ ଅଜଣା ଥିଲା, ସେ ବାକି ଜୀବନ ପାଇଁ ନିଜର ହେବ । ଅବିନାଶ ଭାଇ ଦେଖିବାକୁ ବହୁତ୍ ସୁନ୍ଦର । ସେଥିପାଇଁ ଜେଜେମା ଥଟାରେ କୁହେ -" ଇଲୋ ଅଂଜୁ । ଟୋକାଟା ରାଜ କୁମାର ପରି ହେଇଛି। ମୋ ବୟସ ଥିଲେ ମୁଁ ତାକୁ ବାହା ହେଇ ଯାଇଥାନ୍ତି । ଅଂଜୁ ଅପା ଲାଜେଇ ଯାଇ କଥା ବଦଳାଏ।
କାଲି ବାହାଘର। ପାଣିପାଗ ବିଭାଗ ର ଖବର ଅନୁସାରେ ଆଗାମୀ ଦୁଇ ଦିନ ଧରି ବର୍ଷା ଅଛି । ସମୟ ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଗାଳିବାର ସମ୍ଭାବନା ରହିଛି । ବର୍ଷାକୁ ଆଖି ଆଗରେ ରଖି ବଡବାପା ସବୁ ଆୟୋଜନ କରିଛନ୍ତି। ଟେଣ୍ଟ ବାଲାଙ୍କୁ କହି ଗାଁ ଲୋକ ଭୋଜି ଖାଇବା ଜାଗା, ଖନ୍ଦାଶାଳ, ବାହା ବେଦୀ ଏବଂ ଦାଣ୍ଡଟି ସମ୍ପୂର୍ଣ ଭାବରେ ଜରି ପାଲ ଆଉ ତମ୍ବୁରେ ଛାତ କରିଛନ୍ତି। ଅଂଜୁ ଅପା ହାତରେ ମେହେନ୍ଦି କରିଛି । ଗୋଟିଏ ହାତରେ ରାଜ କୁମାର ଓ ଅନ୍ୟ ହାତରେ ରାଜ କୁମାରୀ ଟିଏ ସୀମା ଦିଦି କରି ଦେଇଛନ୍ତି । ସୀମା ଦିଦି ଅଂଜୁ ଅପାର ପିଲା ଦିନ ସାଙ୍ଗ । କାଲି ବାହା ଘର ବୋଲି ଅଂଜୁ ଅପା ଯେତିକି ରୋମାଞ୍ଚିତ ହେଉଛି, ସେତିକି କୋହ ଜୁଆର ହେଇ ତା'ଛାତିରେ ଧକା ଖାଉଛନ୍ତି । ଏଇ ଗାଁ, ନଈ, ବରଗଛ, ଠାକୁର ପିଣ୍ଡା, ଚଉତରା, ଦୋଳ ମେଲଣ, ବାପା, ବୋଉ ସମସ୍ତଙ୍କୁ ଛାଡି ପର ଗୋତ୍ରୀ ହେଇଯିବ ଗୋଟିଏ ଦିନରେ । ଏକଥା ସୀମା ଦିଦିଙ୍କୁ କହି ସେ ଲୁହ ଢ଼ାଳି ଦେଉଛି।
କାଲି ସଞ୍ଜଠୁ ମେଘ ହେଲାଣି । ଯାହା ହେଉ ଜରି ପାଲ ପଡ଼ିଛି ବୋଲି ରକ୍ଷା। ରାତି ସାତଟା ବାଜିଲାଣି । ଗାଁ ଲୋକ ଭୋଜି ଖାଇବା ପାଇଁ ଧିରେ ଧୀରେ ଭିଡ କଲେଣି । ଦୂରରୁ ଆସିଥିବା ଅତିଥି ମାନେ ଖାଇବା ଆରମ୍ଭ କରି ଦେଲେଣି। ଖବର ଆସିଲା ବର ସହ ବରଯାତ୍ରୀ ଘରୁ ବାହାରି ଆସିଲେଣି ବୋଲି। ଖବର ପାଇବା ପରେ, ସାହି ସ୍ତ୍ରୀ ଲୋକ ମାନେ ଦିଅଁ ମଙ୍ଗୁଳାଇବା ପାଇଁ ସମସ୍ତ ବ୍ୟବସ୍ଥା ଆରମ୍ଭ କରିଦେଲେ ବାରିକିଆଣୀର ତତତ୍ଵାବଧନରେ। ଅଂଜୁ ଅପା ସଜ ହୋଇ ବସିଛି । ଜଣେ ପରେ ଜଣେ ଅତିଥି ଆସି ଯାଉଥାନ୍ତି । ଝିପି ଝିପି ବର୍ଷା ବାହାରେ ଲାଗି ରହିଛି । ଝରି ପୋକ ଗୁଡ଼ାକ ଉଡ଼ି ବୁଲୁଛନ୍ତି ରଙ୍ଗ ବେରଙ୍ଗର ବିଦ୍ୟୁତ୍ ବଲବ୍ ଚାରିପଟେ । ସୀମା ଦିଦି ଠାରୁ ଖବର ପାଇ ବର ଆସିବାର, ଅଂଜୁ ଅପା ଆହୁରି ସଜଳ ହୋଇ ଉଠିଲା । ସେ ଅନୁଭବ କଲା ବାହାରେ ଝରୁଥିବା ବର୍ଷା ବୁନ୍ଦା ଏକାଠି ହୋଇ ପୁନଶ୍ଚ ଏକ ରମ୍ୟ, ସୁଦର୍ଶନ ମେଘ ପୁରୁଷ ପାଲଟି ଯାଉଛନ୍ତି। ଧିରେ ଧିରେ ତା'ଜୀବନ ଆକାଶରେ ପ୍ରବେଶ କରି, ଡାକି ନେଉଛନ୍ତି କେଉଁ ଏକ ଜନଶୂନ୍ୟ ଇଲାକାକୁ ।
ହଠାତ୍ ଦଉଡ଼ି ଦଉଡ଼ି ଆସିଲା ସନା ଭାଇ । ଭିଡ ଭିତରେ ବଡ ବାପାଙ୍କ ପାଖକୁ ଯାଇ କିଛି ଗୋଟିଏ କହିଲା । ସନା ଭାଇ କଥା ଶୁଣୁ ଶୁଣୁ ବଡବାପା ଅଧିର ହୋଇ ଧାଇଁଲେ ଗାଁ ଶେଷ ମୁଣ୍ଡ ଆଡ଼କୁ। ତାଙ୍କ ପଛେ ପଛେ ମଉସା, ଶଙ୍କର ପିଉସା, ଓ ଦାଦା ବି ଧାଇଁଲେ। ଅଂଜୁ ଅପା ସଜ ହୋଇ ବସିଥିଲା ଚୌକିରେ । କିଛି ସମୟ ପରେ ଅତିଥି ଏବଂ ଗାଁ ଲୋକଙ୍କ ଭିତରେ ଭିନ୍ନ ଏକ ବାତାବରଣ ତିଆରି ହେଇଗଲା। ଅଂଜୁ ଅପା ଦେଖିଲା ତାଙ୍କ ଘର ପାଖରୁ ଭିଡ କମି କମି ଆସିଲାଣି। ଅଂଜୁ ଅପା କଣ ହେଇଛି ବୋଲି ଯାହାକୁ ପଚାରୁଛି,କେହି କିଛି ଉତ୍ତର ନଦେଇ ସେମିତି ଧାଉଁ ଥାଆନ୍ତି ଗାଁ ଶେଷ ମୁଣ୍ଡ ଆଡ଼କୁ । ଗାଁ ଶେଷ ମୁଣ୍ଡରେ ନଦୀ ବନ୍ଧ। ବର୍ଷା ପବନରେ ନଦୀ ବନ୍ଧ ଦେଇ ଆସିଥିବା ବିଦ୍ୟୁତ୍ ତାର ନଇଁ ପଡ଼ିଥିଲା । ବର ରୋଷଣୀ କରି ଆସିବା ବାଟରେ ଘୋଡ଼ା ଗାଡ଼ିଟି ତାରରେ ଲାଗି ଜଳି ଯାଇଛି । ଆଉ ସେ ଘୋଡା ଗାଡ଼ିରେ ବସିଥିବା ଅବିନାଶ ଭାଇବି ପାଉଁଶ ହେଇ ସାରିଛନ୍ତି।
ଅଂଜୁ ଅପା ଏବେ ଡାକ୍ତରଖାନାରେ । ମାନସିକ ଭାରସାମ୍ୟ ହରାଇ ଚୁପ୍ ହେଇ ଯାଇଛି। ହଜାରେ ପଚାରିଲେ ଗୋଟିଏ ଉତ୍ତର ରଖୁଛି। ପ୍ରକୃତିର କୌଣସି ପରିବର୍ତନ ତାକୁ ଫରକ ପକାଇ ପାରୁନାହିଁ । ବର୍ଷା ଛାଡ଼ି ଗଲାଣି । ବାହାରେ ଏବେ ଖରା ଜୋର ଧରିଛି। ଅଂଜୁ ଅପା ନକହିଲେ ବି ମଝିରେ ମଝିରେ ତା ଆଖିରୁ ଝରୁଥିବା ଲୁହରେ ଅନେକ କିଛି କହି ଦେଉଛି। ଯେମିତି ତା ଜୀବନରେ ବର୍ଷା ଆସିଥିଲା ଅନେକ ସମ୍ଭାବନା ନେଇ, କିନ୍ତୁ ସବୁକିଛି ଉଜାଡି ଦେଇ ଚାଲିଗଲା ଯେ ଆଉ କେବେ ଫେରିଲା ନାହିଁ। ସେ କଲ୍ପନା କରିଥିବା ମେଘ ପୁରୁଷଟି ଏବେ ଆକାଶର କୋଳାହଳଠୁ ଅନେକ ଉର୍ଦ୍ଧ୍ବରେ । ଫର୍ଚ୍ଚା ଆକାଶ ତଳେ ତା'ର ଚିହ୍ନ ବର୍ଣ୍ଣ ନାହିଁ । ଖାଲି ଯାହା ସେ ଦେଇଥିବା ଦୁଃଖ, ଋତୁ ଟିଏ ହେଇ ବିତୁଛି ଅଂଜୁ ଅପା ଜୀବନରେ।
© ତୃପ୍ତି ରଞ୍ଜନ ଦାସ
