
ନିଓ ରୋମାଣ୍ଟିସିଜମ୍କୁ ନିଜସ୍ୱ ସୁରରେ ବାନ୍ଧି ସୃଜନର ରାସ୍ତାରେ ଚାଲିଥିବା ବେପରୁଆ ବାଦ୍ଶାହ ହେଉଛନ୍ତି ତୃପ୍ତି ରଞ୍ଜନ । ତାଙ୍କ କବିତାର ସାରଙ୍ଗୀରୁ ନିସୃତ ପ୍ରେମ ଓ ଅସହାୟତାର ଧୂନ୍ ଯେତିକି ଆକ୍ରାନ୍ତକାରୀ ସେତିକି ପାଠକୀୟ ଅନ୍ୟମନସ୍କତାକୁ ଡାକି ଆଣେ । ତାଙ୍କ ମତରେ ଅନ୍ୟମନସ୍କ ନହେଲେ ଜଣେ କାବ୍ୟଲୋକର ଅଲୌକିକ ସ୍ୱପ୍ନଚାରୀ ହେବା ସମ୍ଭବ ନୁହେଁ । ‘ନକ୍ଷତ୍ର ସ୍ନାନ’ ତାଙ୍କ କବିତାର ଏକ ସାମଗ୍ରିକ ପ୍ରତୀକଧର୍ମୀ ରୂପାୟନ । । ବାସ୍ତବତାରେ ସନ୍ତପ୍ତ ଆତ୍ମା ଶୀତଳ ହେବା ପାଇଁ ବୋଧହୁଏ ଲୋଡୁଥାଏ ଏମିତି ଗୋଟେ ଗୋଟେ ନକ୍ଷତ୍ର ସ୍ନାନ । ତୃପ୍ତିଙ୍କର କାବ୍ୟ ସୃଜନରେ ସେ ମେଟାଫର୍ ଅପେକ୍ଷା ପ୍ରତୀକଧର୍ମିତା ଓ ସିମିଲିକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଫଳରେ କବିତା ରହସ୍ୟମୟତାକୁ ଛାଡି ବୋଧଗମ୍ୟ ଓ ରସସିକ୍ତ ହୋଇଥାଏ । ବୌଦ୍ଧିକତା ଅପେକ୍ଷା ହୃଦୟାବେଗକୁ ଅଧିକ ପ୍ରାଧାନ୍ୟ ଦେଉଥିବା ତୃପ୍ତି ରଞ୍ଜନ ରହସ୍ୟମୟତା ଅପେକ୍ଷା ତନ୍ମୟାକ୍ତ ଭାବକୁ ଅଧିକ ପସନ୍ଦ କରନ୍ତି । ଏ କବିତା ଗ୍ରନ୍ଥ ପାଠକାଦୃତି ଲାଭ କରିବାର ଆଶା ରଖୁ । ପ୍ରକାଶ ମହାପାତ୍ର
